ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ପରିବାର ଅଦାଲତରେ ଚାଲିଥିବା ଏକ ଯୌତୁକ ନିର୍ଯ୍ୟାତନା ମାମଲାର ବିଚାର କରି ୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅଭିଯୁକ୍ତମାନେ ହେଲେ ନୂଆଗାଁ ଥାନା ରାଧାନାଥପୁର ଗ୍ରାମର ରାଜୁ ସେଠୀ, ତାଙ୍କ ବାପା ଦେବରାଜ ସେଠୀ, ମାଆ ଶାନ୍ତି ସେଠୀ । ୨୦୧୪ ମସିହା ମେ ୧୧ ତାରିଖ ରାଜୁ ସୁନୀତା ସେଠୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଆବଶ୍ୟକ ଯୌତୁକ ପ୍ରଦାନ କରାଯାଇଥିଲା । ପରେ ସୁନୀତାଙ୍କୁ ଅଧିକ ଯୌତୁକ ଆଣିବାକୁ ନିର୍ଯ୍ୟାତନା ଦେଉଥିଲେ । ଏହାକୁ ନେଇ ସୁନୀତା ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୩୦ ହଜାର ଟଙ୍କା ଜରିମାନା କରାଯାଇଛି । ୨ ବର୍ଷ ପର୍ଯ୍ୟନ୍ତ ସେମାନେ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ନଜରରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାକୁ ଆଇନଜୀବୀ ଆକାଶ ଦାଶ, ଆଶୁତୋଷ ସାମନ୍ତରାୟ ଓ ମଦନମୋହନ ପଣ୍ଡା ପରିଚାଳନା କରୁଥିବା ସୂଚନା ମିଳିଛି ।
