ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ଫତେଗଡ଼ ପୁଲିସ ଓ ଖଣ୍ଡପଡ଼ା ଏସ୍ଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ଅବହେଳା ପ୍ରତିବାଦରେ ଆଜି ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ନୟାଗଡ଼ ଜିଲ୍ଲା ଫତେ ଗଡ଼ ଥାନା ଅନ୍ତର୍ଗତ କଇଁଥ ପୋଖରୀ ଗ୍ରାମର ଅନୁସୂଚିତଜାତି ବର୍ଗ ୫ଟି ପରିବାରଙ୍କୁ ଗ୍ରାମର ସବର୍ଣ୍ଣମାନେ ୩ ବର୍ଷ ହେବ ସାମାଜିକ ବାସନ୍ଦ ରଖିବା ଏବଂ ଗତ ଅଗଷ୍ଟ ୩୧ ତାରିଖ ଦିନ ଗ୍ରାମର ସିଲୁ ଡାଳୁଆ ଜଣେ ଅନୁସୂଚିତଜାତି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା । ତାଙ୍କ ସ୍ବାମୀ ବିରୋଧ କରିବାରୁ ସିଲୁ ଡାଳୁଅ, ଓ ମିଲୁ ଡାଳୁଅ ଦୁଇ ଭାଇ ମିଶିକି ହତ୍ୟା ଉଦ୍ଦେଶ୍ୟରେତାଙ୍କ ମୁଣ୍ଡକୁ ଆକ୍ରମଣ କରିବା ଘଟଣାରେ ଫତେଗଡ଼ ଥାନାରେ ଲିଖତ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲେ ତଦନ୍ତ କାରି ଅଧିକାରୀ ତଥା ଖଣ୍ଡପଡ଼ା ଏସଡିପିଓ ଅତି ହାଲୁକା ଭାବେ ନେବା ସହିତ ଆଜି ପର୍ୟ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କଲେ ନାହିଁ । ବରଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ ରହିବା, କିପରି ଅଭିଯୁକ୍ତ ମାନେ ଜାମିନ ପାଇବେ ତାର ବନ୍ଦୋବସ୍ତ କରିବା, ମାମଲା ଉଠେଇ ନେବାକୁ ପୀଡିତା ପରିବାରଙ୍କୁ ଧମକ ଦେବା ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସଂଘ ତମାମ ଘଟଣାକୁ ନିନ୍ଦା କରିବା ସହ ଫତେଗଡ଼ ଥାନାରେ ରୁଜୁ ହୋଇଥିବା ୨୮୪/୨୫ ମାମଲାର ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି । ତଦନ୍ତକାରୀ ଅଧିକାରୀ ତଥା ଖଣ୍ଡପଡ଼ା ଏସ୍ଡିପିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏହି ପ୍ରତିବାଦ ଯାତ୍ରା ଓ ଗଣଧାରଣା କାର୍ୟ୍ୟକ୍ରମରେ ଜାତୀୟ ଦଳିତ ଆଦିବାସୀ ମହାସଙ୍ଘର ରାଜ୍ୟ ସଭାପତି ଲିଟୁ ଦାସ, ଭୀମ୍ ଆର୍ମି ରାଜ୍ୟ ସଂଯୋଜକ ନିହାର ସାମଲ, ଆର ପିଆଈ ରାଜ୍ୟ ସଭାପତି ଶେଖ ଅବଦୁଲ ୱାଲି, ଆମ୍ବେଦକର ସମାଜ ସେବି ମହାସଙ୍ଘ ସଭାପତି ବୀରେନ୍ଦ୍ର ନାୟକ, ଆମ୍ବେଦକର ସେବକ ସଙ୍ଘ ସଭାପତି ଦୈତାରୀ ନାୟକ, ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, ମହିଳା ସମ୍ପାଦିକା ଟିକିନା ପରିଡା, ରାଜ୍ୟ ଯୁଗ୍ମ ସମ୍ପାଦକ ବୈଠକ ମାଝୀ, ଛାତ୍ର ନେତା ଦୀପକ ସାମଲ, ଖୋର୍ଦ୍ଧା ସଭାପତି ଅଶୋକ ଭୋଇ,କଟକ ସଭାପତି ପ୍ରକାଶ ଭୋଇ, ଜୟଦେବ ସଭାପତି ବିଜୟ ଭୋଇ, ବାଙ୍କୀ ସଭାପତି ବ୍ରଜ ନାୟକ ପ୍ରମୁଖ ଶତାଧିକ ଲୋକ ସାମିଲ ହୋଇଥିଲେ ।
