ଅନୀଲ କୁମାର ପଣ୍ଡା

ଆଖିରୁ ବହି ଆସୁଥିବା ଲୁହକୁ ତରବରରେ ପୋଛି ଦେଉଥାଏ ବବୁଲ । କାଳେ କିଏ ଦେଖି ଦବ ଭାବି, ବାଥରୁମରେ ପଶିଗଲା । ତା କାନ୍ଦିବାର ଶଦ୍ଦକୁ କିନ୍ତୁ ସେ ନିଜ ଭିତରେ ଚାପି ରଖୁଛି । ମନରେ ଭୟ କାଳେ କିଏ ଜାଣିଦେବ ।
ହେତୁ ପାଇବା ବେଳକୁ ଯାହାକୁ ବୋଉ ବୋଲି ଡାକୁଥିଲା, ପ୍ରକୃତରେ ସେ ହେଉଛି ତାର ପିଉସୀ । ତାରି କୋଳରେ ବବୁଲ ବଡ଼ ହେଉଥିଲା । ବବୁଲ ଏକା ନୁହେଁ ତାର ବି ଏକ ଜାଆଁଳା ଭାଇ ଅଛି । ସେ ଅନ୍ୟ ଜଣଙ୍କ ଦାୟିତ୍ୱରେ ।
ଧିରେ ଧିରେ ବବୁଲ ବଡ଼ ହେଉଥିଲା । ବବୁଲକୁ ଦେଖିବାକୁ ଗୋଟେ କଳା ଓ ଡେଙ୍ଗା ମଣିଷ ପ୍ରତ୍ୟେକ ସପ୍ତାହରେ ଆସନ୍ତି । ସେ ହିଁ ବବୁଲର ବାପା । ବାପା ଶଦ୍ଦର ଅର୍ଥ ବୁଝିବାର ସାମର୍ଥ ତା ପାଖରେ ନଥିଲା । ମୁହଁରେ ହସ ନଥିବା ଗୋଟେ ମଣିଷ । ସବୁବେଳେ ଆଖି ଦୁଇଟି ଲାଲ । ସେ ଆସନ୍ତି, ପିଉସୀ ସହ କଥାବାର୍ତ୍ତା ହୁଅନ୍ତି, ଆଉ ଚାଲି ଯାଆନ୍ତି । ବାପା କେତେବେଳେ ତାକୁ ଗେଲ କରିବାର ସେ ଜାଣି ନାହିଁ । କେତେବେଳେ କୋଳେଇ ନେବାର ତାର ମନେ ନାହିଁ । ତଥାପି ବାପା ଶଦ୍ଦର ମାଧୁର୍ଯ୍ୟତା, ତାକୁ ବାନ୍ଧି ପକାଉଥାଏ । ବାପାଙ୍କୁ ସବୁବେଳେ ଦେଖୁଥିବା ବବୁଲ ଟିକେ ବଡ଼ ହେବା ପରେ ମାଆକୁ ଖୋଜିଲା । ପିଇସୀଙ୍କୁ ପଚାରିଲା । ବାପାଙ୍କୁ ପଚାରିଲା । ଉତ୍ତର ପାଇନଥିଲା । ପିଉସୀର ବାରଣ ସତ୍ତ୍ୱେ ବବୁଲ ବାପାଙ୍କ ସହ ଯିବା ପାଇଁ ଜିଦ୍ କଲା । ବାଧ୍ୟରେ ବାପା ତାକୁ ନେଇ ଚାଲି ଆସିଲେ । ତା ପାଇଁ ଗୋଟେ ନୂଆ ଗାଁ, ତା ଭିତରେ ଗୋଟେ ପୁରୁଣା ଘର । ଦାଣ୍ଡ କବାଟ ଖୋଲି ଭିତରକୁ ପଶିବା ବେଳକୁ ଖାଲି ଅନ୍ଧାର । ମଝି ଅଗଣାରେ ପଡ଼ୁଥିବା ସୂର୍ଯ୍ୟ କିରଣରେ ସେ ଝାପସା ଭାବେ ଦେଖୁଥିଲା କୋଠରୀଗୁଡ଼ିକୁ । ସବୁ ଖାଲି ଖାଲି । ବାପାଙ୍କ ଛଡ଼ା ଆଉ କେହି ନାହାନ୍ତି । ପିଉସୀ ଘରେ ସେ କେତେଲୋକଙ୍କ ସହ ମିଶିଥିଲା । ସେଠି ପିଉସା ଥିଲେ, ଭାଇ ଥିଲେ, ଭାଉଜ ଥିଲେ, ଗୋଟେ ଅପା ବି ଥିଲା । ସବୁଦିନ ଭାଇ ଆଉ ଅପା ତାକୁ ଗେଲ କରୁଥିଲେ । ଘର ଭିତରେ ବାପା ତାଙ୍କ ଜାମା ଖୋଲି ଏକ ଗାମୁଛା ପିନ୍ଧିଲେ । ଅଗଣାକୁ ଯାଇ ମୁହଁ ହାତ ଧୋଇଲେ । ଆସି ଦାଣ୍ଡ ଦୁଆରେ ବସିଲେ । ସେ ଘର ଭିତରେ ବସି ବସି ସଂନ୍ଧ୍ୟା ହେବାକୁ ବସିଲା । ନାଁ ବାପା ବବୁଲକୁ କିଛି କହୁଥିଲେ । ନାଁ ବବୁଲ ବାପାଙ୍କୁ କିଛି କହୁଥିଲା । ରାତି ଘଡ଼ିଏ ବେଳକୁ ଦାଣ୍ଡରୁ ଉଠି ଆସି ବାପା ଗୋଟେ ବେଲାରେ କିଛି ଚୂଡ଼ା ଓ ଚିନି ବଢ଼େଇ ଦେଇ କହିଲେ, ନେ ଖାଇକି ଶୋଇପଡ଼େ । ବବୁଲ ବାପାଙ୍କ କଥାମାନି ଖାଇ ଶୋଇପଡ଼ିଲା । ଗୋଟେ ପଟା ଖଟ ଉପରେ ଶୋଇଥାଏ ବବୁଲ । ବାପା ତାର ଚଟାଣରେ ଆସି ଗଡ଼ି ପଡ଼ିଲେ । ଧିରେ ଧିରେ ଦିନ ବିତିଲା । କେତେବେଳେ ଚୂଡ଼ା ତ ପୁଣି କେତେବେଳେ ଭାତ ସହିତ କିଛି ପରିବା ଶିଝା । ପିଉସୀ ଘରୁ ଚାଲି ଆସିବା ପରେ ଅଳ୍ପ କିଛି ପାଠ ପଢ଼ିଥିବା ବବୁଲର ପାଠ ପଢ଼ାରେ ଡୋରି ବନ୍ଧା ହେଲା । ବାପା ତାକୁ ପୁଣିଥରେ ପିଉସୀ ଘରେ ଛାଡ଼ିବା ପାଇଁ ବାଧ୍ୟ କଲେ । ସେ ଆଉ ଫେରିବାକୁ ପ୍ରସ୍ତୁତ ନଥିଲା । ବାପାଙ୍କ ଭଳି ସେ ମଧ୍ୟ ହସ ଖୁସି ଅବସ୍ଥାରୁ ନୀରବ ହୋଇଗଲା । ବେଳେ ବେଳେ ବାପା ତାକୁ ବାଧ୍ୟ କରନ୍ତି, ବାହାରକୁ ଯାଇ ପିଲାଙ୍କ ସହ ଖେଳିବା ପାଇଁ । ସେ ଯାଇ ପାରେନି । ତାକୁ ଭାରି ଅଖାଡ଼ୁଆ ଲାଗେ । ଗାଁ ପିଲା ତାକୁ କଟାସ ଭଳି ଲାଗନ୍ତି । ବବୁଲ ବଡ଼ ହେଉଥିଲା । ବାପା ସବୁଦିନ ସକାଳୁ ବାହାରି ଯାଆନ୍ତି, ସଂଜ କି ବେଳ ବୁଡ଼ିଲେ ଫେରନ୍ତି । ବବୁଲ ସେମିତି ଘରେ ବସିଥାଏ । ଘରକୁ ବେଳେ ବେଳେ କୁଣିଆ ଆସନ୍ତି । ବବୁଲ ସେମାନଙ୍କୁ ଚିହ୍ନି ନଥାଏ । ସେମାନେ ଆସି ବାପାଙ୍କ ସହ କିଛି କଥାବାର୍ତ୍ତା ହୁଅନ୍ତି, ପୁଣି ଚାଲି ଯାଆନ୍ତି । ବାପା ବେଳେ ବେଳେ ତାକୁ ପିଉସୀ ଘରକୁ ନେଇ ବୁଲି ଯାଆନ୍ତି । ମାତ୍ର ବାପାଙ୍କ ପାଖରେ ଅନ୍ୟ ପିଲମାନଙ୍କ ଭଳି ବବୁଲ କିଛି ଅଳି କରି ପାରେନି । କିଛି ଜୋର କରି ପାରେନି । କାରଣ ବାପା ସବୁବେଳେ ନୀରବ । କେତେବେଳେ ଦୁଷ୍ଟାମୀ କରିବାର ସାହାସ ବି ଜୁଟାଇ ପାରେ ନାହିଁ ବବୁଲ । ଏବେ ବେଶ୍ ବଡ଼ ହୋଇ ସାରିଥାଏ । ଭଲ ମନ୍ଦ ବୁଝିବାର ବୟସ । ବାପା ଓ ଘରର ଦାୟିତ୍ୱ ନେଇଥିଲା । ସକାଳୁ ଉଠିବା ପରେ ଘର ସଫା ସୁତରା କରିବା, ଠାକୁର ପୂଜା କରିବା, ସକାଳୁ ଜଳଖିଆ ପ୍ରସ୍ତୁତ କରି ବାପାଙ୍କୁ ଦେବା, ନିଜେ ଖାଇବା । ଧିରେ ଧିରେ ନିଜକୁ ପରିବର୍ତ୍ତନ କଲା ବବୁଲ । ଗାଁ ପିଲାଙ୍କ ସହ ଖେଳକୁଦ କଲା । ବାପା ଶୋଇଥିବା ବେଳେ ତାଙ୍କ ସ୍କୁଟିକୁ ନେଇ ଦୁଇ ଚାରି ଘେରା ବୁଲି ଆସିଲା । ରାତିରେ ଦୋଳ ବୁଲିବା ସମୟରେ ଗାଁ ପିଲାଙ୍କ ସହ ନଦୀ ପଠାରେ ପଇଡ଼ ପିଇବା । ନିଜେ ଶାଳ ଭିଡ଼ି ଆଖୁ ପେଡ଼ିବା । ଏମିତି ଅନେକ କିଛି ନଟଖଟ କାମରେ ସେ ସିଦ୍ଧହସ୍ତ ହୋଇ ଯାଇଥିଲା । ବାପା ହିଁ ତା ପାଇଁ ପାଲଟି ଯାଇଥିଲେ ସର୍ବଶ୍ୱ । ପୁଅର ଏଭଳି ଆଚରଣ ବାପା ପ୍ରଭଞ୍ଜନଙ୍କୁ ମଧ୍ୟ ବେଶ ଭଲ ଲାଗୁଥିଲା । ପରିସ୍ଥିତି ତାଙ୍କଠାରୁ ସବୁ ଛଡ଼େଇ ନେଇଥିଲେ ବି, ସୁନାମୁଣ୍ଡା ଭଳି ପୁଅଟେ ପାଇଛନ୍ତି । ପାଠ ନପଢ଼ିଲେ ବି ବେଶ ନମ୍ର ଓ ଭଦ୍ର ଭାବେ ବଢ଼ିଥିଲା ବବୁଲ । ପିତୃପୁରୁଷରୁ ଥିବା ସମ୍ପତ୍ତିକୁ ଭୋଗ କରି ପୁଅ ଜୀବନ ସାରା ଚଳିଯିବାର ଆଶା ରଖିଥିଲେ ପ୍ରଭଞ୍ଜନ ।
କରୋନା ମହାମାରୀ କାରଣରୁ ତାଙ୍କ ଅଫିସ୍ ବନ୍ଦ ଥିଲା । ପ୍ରାୟ ଅଧିକାଂଶ ଦିନ ତାଙ୍କର ଘର ଭିତରେ ବିତିଲା । ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାକୁ ଲାଗିଲା । ପରିଶ୍ରା ହଳଦିଆ ହେଲା, ଲାଲ ଆଖି ଗୁଡ଼ିକ ଶେତା ଦେଖାଗଲା । ବବୁଲର ବାରମ୍ବାର ତାଗିଦା ପରେ ପ୍ରଭଞ୍ଜନ ଡାକ୍ତରଖାନାକୁ ଗଲେ । ପରୀକ୍ଷାରୁ ଜଣାପଡ଼ିଲା । ତାଙ୍କୁ ଜଣ୍ଡିସ ହୋଇଛି । ଘରେ ରହି ଚିକିତ୍ସା କଲେ । ହେଲେ ଜଣ୍ଡିସ କମିବା ପରିବର୍ତ୍ତେ ଜ୍ୱର ଧରିଲା । ଦୁଇ ମାସ ବିତିଲା । ରୋଗ କମିବ କଣ ବଢ଼ିଲା । ଏବେ ଡାକ୍ତରଖାନା ବେଡ୍‌ରେ ।
ତାଙ୍କର ଅବସ୍ଥା ଦେଖି ବବୁଲ ବାଥରୁମ ଭିତରେ ଲୁଚି ଲୁଚି କାନ୍ଦୁଥିଲା । ବେଶ ସମୟ କାନ୍ଦିବା ପରେ ବବୁଲ ମୁହଁ ଧୋଇ ବାହାରକୁ ଆସିଲା । ବେଡ୍ ଉପରେ ବାପା, ପାଖରେ ଆସି ବସିଛନ୍ତି ପିଉସୀ । ପିଉସୀ ତାଙ୍କ ଭାଇର ଅବସ୍ଥା ଦେଖି ବାହୁନି କାନ୍ଦୁଥିଲେ ।
ପିଉସୀଙ୍କୁ ଦେଖି ବବୁଲ ଆଖିରେ ବି ଲୁହ ଆସି ଯାଇଥିଲା । ତଥାପି ସେ ନିଜକୁ ରୋକି ପିଉସୀକୁ ବୋଧ ଦେଲା । ବାପାଙ୍କ ପାଇଁ କ୍ଷୀର ଓ ପାଉରୁଟି ଆଣିବାକୁ ବାହାରକୁ ଚାଲିଗଲା । ଫେରିବା ବେଳକୁ ପିଉସୀ ପାଖ ବେଡ୍‌ରେ ଥିବା ଅନ୍ୟ ଜଣେ ରୋଗୀଙ୍କ ସହ କଥା ହେଉଥିଲେ । ବବୁଲ କବାଟ ପାଖରେ ଅଟକି କାନ ଡେରିଲା । “ମୋ ଭାଇ ଚାକିରି କରିବା ପରେ ନୂଆ ନୂଆ ବାହାଘର ହୋଇଥାଏ । ବାହାଘର ପରେ ତାଙ୍କ ସଂସାର ବେଶ ଖୁସିରେ ଚାଲିଥିଲା । କିଛିଦିନ ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ଏନ୍ତୁଡ଼ି ନଉଠୁଣୁ, କଅଁଳା ପିଲାକୁ କାଳ ନେଇଗଲା । ଏନ୍ତୁଡ଼ିରେ ମା’ ପିଲା ଶୋଇଥିବା ସମୟରେ ସାପ କାମୁଡ଼ି ଦେଲା ।
ଏଇଠୁ ପ୍ରଭଞ୍ଜନ ଜୀବନର ମୋଡ଼ ବଦଳିଲା । ପୁଅକୁ ଝୁରି ତା’ ସ୍ତ୍ରୀ ରୋଗିଣା ହୋଇଗଲା । ମୁଣ୍ଡ କାମ କଲାନି । ଡାକ୍ତର କହିଲେ, ସେ ପାଗେଳୀ ହୋଇଯାଇଛି । ଘରେ ଅନ୍ୟ କେହି ଦେଖାରଖା କରିବାର ସୁବିଧା ନଥିବାରୁ ସ୍ତ୍ରୀକୁ ନେଇ ବାପା ଘରେ ଛାଡ଼ି ଆସିଲା । ମାସ କେତେଟା ବିତିନି ଶୁଣିବାକୁ ପାଇଲୁ, ତା ପାଗେଳୀ ସ୍ତ୍ରୀ ଆଉ ନାହିଁ । ଅନେକ ଦିନ ସ୍ତ୍ରୀ ଓ ପୁଅକୁ ଝୁରି ଦୁଃଖରେ ରହିଲା । ବନ୍ଧୁବାନ୍ଧବଙ୍କ କଥାରେ ପୁଣିଥରେ ବାହା ହେବାକୁ ରାଜି ହେଲା । ପ୍ରଭଞ୍ଜନ ଦ୍ୱିତୀୟ ବିବାହ କଲା । ପୁଣିଥରେ ସଂସାର ଚାଲିଲା । ତା ସ୍ତ୍ରୀ ଗର୍ଭବତୀ ହେଲା । ଏକାସଙ୍ଗେ ବବୁଲ ଓ ଟବୁଲ ଜନ୍ମ ନେଲେ । ସେ ପିଲା ଦୁଇଟିକୁ ଡାକ୍ତରଖାନା ବେଡରେ ଛାଡ଼ି କେଉଁ ଆଡ଼େ ଚାଲିଗଲା । ସେଦିନଠାରୁ ବବୁଲ ଏବଂ ଟବୁଲକୁ ବଞ୍ଚାଇବା ସେ ଅନେକ କଷ୍ଟ କରିଛି ।” ନଶୁଣିବା ଭଳି ଭିତରକୁ ଚାଲି ଆସିଲା ବବୁଲ । ପିଉସୀ ଅଟକି ଗଲେ । ବବୁଲ ଭାବିଲା, ତା ଭୋଗିବାଠାରୁ ବାପାଙ୍କ ଭୋଗିବା କେତେ ଭୟଙ୍କର । ତା ଆଖିରୁ ଲୁହ ଶୁଖିଗଲା । କଥା ବନ୍ଦ ହୋଇଗଲା । କିଛି ସମୟ ପୂର୍ବରୁ ଡାକ୍ତର କହି ଦେଇ ଯାଇଥିଲେ, ସେ ଆଉ ବେଶୀ ଦିନ ନୁହେଁ ।
ସେଇଆ ହିଁ ଘଟିଲା, ଚାରି ଦିନ ବିତିଲାନି । ବାପା ଆରପାରିକୁ ଚାଲିଗଲେ ।
କୋକେଇ ବନ୍ଧା ହେଲା । ଖଇ କଉଡ଼ି ପଡ଼ିଲା । ଗାଁ ମୁଣ୍ଡେ ଭାତହାଣ୍ଡି ଥୁଆହେଲା । ଶବ ଯାଇ ସ୍ମଶାନରେ ପହଞ୍ଚିଲା । ବବୁଲ ଓ ଟବୁଲ କଇଁ କଇଁ କାନ୍ଦୁଥିଲେ । ପୁରୋହିତ ମାଠିଆଟି ବବୁଲ ହାତକୁ ବଢ଼ାଇ ଦେଲେ । ନଈର ଅଣତୁଠରେ ଗାଧୋଇ ପାଣି ଆଣିବାକୁ ପଠାଇଲେ ।
ଅଣତୁଠରେ ବବୁଲ ନଦୀକୁ ଗଡ଼ିବା ବେଳକୁ ନଈଗଡ଼ାରେ ପିଇସୀ କାହା ସହିତ କଥା ହେଉଥିଲେ ।
“ତୁ ପୋଡ଼ାମୁହିଁ, ଆଜି କୁଆଡ଼େ ଆସିଛୁ । ସେଦିନ ପିଲା ଦିଟାକୁ ଗଡ଼େଇ ଦେଇ ଚାଲିଗଲା ବେଳେ ତୋ ଛାତି ଫାଟି ଗଲାନି ।
କାନ୍ଦ କାନ୍ଦ ସ୍ୱରରେ ସ୍ତ୍ରୀ ଲୋକ ଜଣକ କହିଲେ, ବିଶ୍ୱାସ କର ଅପା । ମୋ ଲିଭି ଯାଇଥିବା ସିନ୍ଦୁର ରାଣ; କେବଳ ତାଙ୍କୁ ସମ୍ମାନ ଦେବାକୁ ଯାଇ ଛାତିରେ ପଥର ରଖି ସେଠୁ ଚାଲିଗଲି । ତମ ଭାଇ ସର୍ତ ରଖଥିଲେ, ମୋ ବଂଶ ରକ୍ଷା ପାଇଁ ମୁଁ ବାହା ହେଉଛି । ଛୁଆ ଜନ୍ମ ହେବା ପରେ କହିଲେ, ତୋ କାମ ସରିଲା । ତୁ ଚାଲି ଯା ।”
କାନ୍ଧରେ ପାଣି ମାଠିଆ ଧରି, ବବୁଲ ନଈଗଡ଼ାକୁ ଚାହିଁବା ବେଳକୁ ସେ ସ୍ତ୍ରୀ ଲୋକ ଜଣକ ଫେରି ଯାଉଥିଲେ । ବବୁଲ ବାପାଙ୍କ ଶବ ନିକଟକୁ ଯେତିକି ଯେତିକି ଆସୁଥିଲା, ସ୍ତ୍ରୀ ଲୋକ ଜଣକ ସେତିକି ସେତିକି ଦୂରେଇ ଯାଉଥିଲେ ।
ମୁଖାଗ୍ନି ଦେଇ ବବୁଲ ସାନଭାଇକୁ ଚାହିଁ ଭାବୁଥିଲା, ଆମ ଛେଉଣ୍ଡ ପାଇଁ କିଏ ଦାୟୀ? ଜୁଇରେ ଜଳୁଥିବା ବାପା; ନା, ପଛ କରିଦେଇଥିବା ମା’ ।

କ୍ରିଦାଶପୁର, ନୟାଗଡ଼
ମୋ-୭୩୭୭୭୧୦୦୯୭

Leave a Reply

error: Content is protected !!