ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଦେଓଗାଁ ଓ ଭାଲିଆଡିହି ମଧ୍ୟରେ ରାସ୍ତା ବିବାଦ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ରାସ୍ତା ନିର୍ମାଣ ଦାବିରେ ଦେଓଗାଁ ବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । ବିବାଦୀୟ ସ୍ଥାନରେ ଶନିବାର ବିଳମ୍ବିତ ରାତିରେ ଭାଲିଆଡିହି ଗ୍ରାମବାସୀ ମାଟି ପକାଇ ସମାନ କରିବା ଘଟଣାକୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରଙ୍ଗଣୀପାଟଣାଠାରୁ ସୁନାମୁହିଁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଦେଓଗାଁ ଭାଲିଆଡିହି ଉଚ୍ଚ ବିଦ୍ୟାଳୟ ପୂର୍ବରୁ ଏକ ସ୍ମଶାନ କିସମ ଥିବା ପଡ଼ିଆ ଦେଇ ଯାଇଥିବା ରାସ୍ତାକୁ ଦେଓଗାଁ ଗ୍ରାମବାସୀଙ୍କ ଦ୍ବାରା ବିରୋଧ କରିବା ପରେ ଘଟଣା କୋର୍ଟରେ ପହଞ୍ଚିଥିଲା । ଫଳରେ ନିର୍ମାଣ ହେଉଥିବା ପିଚୁ ରାସ୍ତା ବିବାଦୀୟ ସ୍ଥାନରୁ କାର୍ୟ୍ୟ ସ୍ଥଗିତ ରହିଥିଲା। ପରବର୍ତ୍ତୀ ସମୟରେ କୋର୍ଟଙ୍କ ରାୟ ଅନୁସାରେ ରାସ୍ତା ନିର୍ମାଣ ପାଇଁ ଦେଓଗାଁ ଗ୍ରାମବାସୀ ଚାହୁଁଥିବା ବେଳେ ଭାଲିଆଡିହି ଗ୍ରାମବାସୀ ପୂର୍ବ ଗତାନୁଗତିକ ରାସ୍ତା ଉପରେ ସ୍ଥାୟୀ ସଡ଼କ ନିର୍ମାଣ କରାଯାଉ ବୋଲି ଅଡି ବସିଥିଲେ । ଅନେକ ଦିନ ପୂର୍ବରୁ କୋର୍ଟଙ୍କ ରାୟକୁ କାର୍ୟ୍ୟକାରୀ କରାଇବା ପାଇଁ ପ୍ରଶାସନ ଉଦ୍ୟମ କରି ଆସୁଥିବା ବେଳେ ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସମ୍ପୁର୍ଣ୍ଣ ହୋଇପାରିନାହିଁ । ଏପରି ପରିସ୍ଥିତିରେ ଗତ ଲଘୁଚାପ ବର୍ଷାରେ ବିବାଦୀୟ ରାସ୍ତାଟି ଅଧିକ ନଷ୍ଟ ହୋଇଯାଇଥିବା ବେଳେ ଠାକୁରାଣୀଙ୍କ ଯଜ୍ଞ ଅନୁଷ୍ଠାନ ନିମନ୍ତେ ଭାଲିଆଡିହି ଗ୍ରାମବାସୀ ଶନିବାର ରାତିରେ ସେଠାରେ ମାଟି ପକାଇ ସମତୁଲ କରିବା ଆରମ୍ଭ କରିଥିଲେ । ଏନେଇ ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଅତିରିକ୍ତ ତହସିଲଦାର ସ୍ଥାନୀୟ ପୋଲିସ୍ ଅଫିସର ବିବାଦୀୟ ସ୍ଥାନରେ ପହଞ୍ଚିଥିଲେ। ବିବାଦୀୟ ସ୍ଥାନରେ କେହି ନଥିବାରୁ ପ୍ରାଶାସନିକ ଅଧିକାରୀମାନେ ଭାଲିଆଡିହି ଗାଁକୁ ଯାଇଥିଲେ । ସେମାନଙ୍କୁ ତହସିଲଦାରଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ । ଏଭଳି ସ୍ଥିତିରେ ଦେଓଗାଁ ବାସୀ କୋର୍ଟଙ୍କ ରାୟ ଅନୁସାରେ, ରାସ୍ତା ନିର୍ମାଣ କରିବାକୁ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଧାରଣା ଦେଇଥିବା ସୂଚନା ମିଳିଛି । ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ରହିଛନ୍ତି ।
