More

ସୌନ୍ଦର୍ଯ୍ୟ ହରାଉଛି ରୂପାନ୍ତରିତ ନୟାଗଡ଼

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଚେଷ୍ଟା, ପ୍ରଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମରେ ସୈାନ୍ଦର୍ଯ୍ୟମୟ ତଥା ରୂପାନ୍ତରିତ ଅବସ୍ଥାକୁ ଆସିଥିବା ନୟାଗଡ଼ ସହର ତାହାର ସୈାନ୍ଦର୍ଯ୍ୟ ହରାଇବାକୁ ବସିଲାଣି । ଏହା ପଛରେ ଅନେକ କାରଣ ରହିଛି । ସାଧାରଣ ନିର୍ବାଚନ ପରେ ନୟାଗଡ଼ ସହରରେ ଏଭଳି ସ୍ଥିତି ଦିନକୁ ଦିନ ଗମ୍ଭୀର ପରିସ୍ଥିତି ଆଡ଼କୁ ଗତି କରୁଥିବା ବେଳେ ନୟାଗଡ଼ ସହରର ପ୍ରମୂଖ ନେତୃତ୍ୱ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ମାତ୍ର ଅବହେଳିତ ଅବସ୍ଥାକୁ ଚାଲି ଯାଉଥିବା ନୟାଗଡ଼ ମାତ୍ର ଦେଢ଼ ବର୍ଷରେ ୫ ବର୍ଷ ପଛକୁ ଫେରିବାକୁ ବସିଲାଣି ।
ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ନୟାଗଡ଼ ଦେଇ ଶହ ଶହ ସଂଖ୍ୟାରେ ଲୋକ ଯାତାୟତ କରିଥାନ୍ତି । ରୂପାନ୍ତରିତ ନୟାଗଡ଼କୁ ଦେଖି ଅନେକ ଖୁସି ହେବା ସହ ପ୍ରଶଂସା କରନ୍ତି । ଯାହା ନୟାଗଡ଼ ବାସୀଙ୍କ ପାଇଁ ଗର୍ବ ଓ ଗୈାରବ ପାଲଟୁଥିଲା । ନୟାଗଡ଼ ବିକାଶ କାର୍ଯ୍ୟ ଏବେ ଠପ୍ ହୋଇପଡ଼ିଥିବା ବେଳେ ଅନେକ କାର୍ଯ୍ୟର ରକ୍ଷଣାବେକ୍ଷଣ ହୋଇପାରୁନାହିଁ । ଏହାର ପ୍ରଥମ କାରଣ ପୈାର ପରିଷଦ ନେତାଙ୍କ ଅବହେଳା ଏବଂ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ । ଯେଉଁଥି ପାଇଁ ସ୍ୱଚ୍ଛ ନୟାଗଡ଼ ଦିନକୁ ଦିନ ଅସ୍ୱଚ୍ଛ ହେବାକୁ ବସିଲାଣି ।


ସମାନ ଭାବେ ନୟାଗଡ଼ ସହର ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖି ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ୫୬ଟି ସିସିଟିଭି ଲାଗିଥିବା ବେଳେ ବିଧାୟକ ସିସିଟିଭି ସଂଖ୍ୟା ବୃଦ୍ଧି କରିବା ପାଇଁ ଗତବର୍ଷ ଅନୁଷ୍ଠିତ ହୋଇଥିବା ନିର୍ବାଚନ ମଣ୍ଡଳୀ ସମୀକ୍ଷାରେ ପରାମର୍ଶ ଦେଇଥିଲେ । ସିସିଟିଭ୍‌୍ ସଂଖ୍ୟା ବୃଦ୍ଧି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ନଥିବା ବେଳେ ଲାଗିଥିବା ୫୬ ସିସିଟିଭି ମଧ୍ୟରୁ ୫୨ଟି ଅଚଳ ହୋଇ ସାରିଛି ।
ସମାନ ଭାବେ ନୟାଗଡ଼ ବଲାଙ୍ଗୀ ପାର୍କକୁ ଆକର୍ଷଣୀୟ କରିବା ପାଇଁ ଅନେକ ଯୋଜନା ରହିଥିଲା । କିନ୍ତୁ ସରକାର ବଦଳିବା ପରେ ବଲାଙ୍ଗୀ ପାର୍କରେ ନୂତନ ନିର୍ମାଣ କାର୍ଯ୍ୟ ଆଦୈା ହୋଇପାରୁନାହିଁ । ଏପରିକି ଏହାର ରକ୍ଷଣାବେକ୍ଷଣକୁ ସଠିକ ଭାବେ ଧ୍ୟାନ ଦିଆଯାଉନାହିଁ । ବିଶ୍ୱ ସ୍ତରୀୟ ପାର୍କ ନୟାଗଡ଼ ପାଇଁ ଗୈାରବ ପାଲିବାକୁ ଥିବା ବେଳେ ତାହା ଦିନକୁ ଦିନ ଅବହେଳିତ ଅବସ୍ଥାକୁ ଚାଲି ଯାଉଛି ।
ସବୁଠାରୁ ବଡ଼ କଥା ହେଉଛି, ରୂପାନ୍ତରିତ ମୁଖଶାଳା । ନିର୍ବାଚନ ପୂର୍ବରୁ ସହରର ଅନେକ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ଏହାର ମୁଖ୍ୟ ଫାଟକକୁ ନୂତନ ଭାବେ ନିର୍ମାଣ କରାଯାଇ, ଆଲୋକ ବ୍ୟବସ୍ଥା ଥିବା ଫଳକ ଲଗା ଯାଇଥିଲା । ସେହି ଫଳକ ଗୁଡ଼ିକର ଅଧା ଅକ୍ଷର ଲାଇଟ ଜଳୁ ନଥିବା ବେଳେ ମୁଖଶାଳା ଗୁଡ଼ିକ ରଙ୍ଗ ଛାଡ଼ି ଗଲାଣି । ପ୍ରତ୍ୟେକ ବର୍ଷ ଏଗୁଡ଼ିକୁ ରଙ୍ଗ କରାଯିବାର ଆବଶ୍ୟକତା ଥିଲେ ମଧ୍ୟ ରଙ୍ଗ ମରା ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ।
ନୟାଗଡ଼ ସହରବାସୀଙ୍କ ସୁବିଧା ପାଇଁ ଆଲୋକିକରଣ ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବାର ଆବଶ୍ୟତା ରହିଛି । ଦେଢ଼ ବର୍ଷ ମଧ୍ୟରେ ନୟାଗଡ଼ ସହରରେ କୈାଣସି ଆଖି ଦୃଶିଆ କାର୍ଯ୍ୟ ହୋଇପାରୁନଥିବା ବେଳେ ନୟାଗଡ଼ ପ୍ରତି ଏହା ବଡ଼ ଅବହେଳା ବୋଲି ଅଭିଯୋଗ ହେଉଛି । ନୟାଗଡ଼ ବାସୀ ଏଭଳି ସମ୍ବେଦନଶୀଳ ଘଟଣାକୁ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

error: Content is protected !!