ନୟାଗଡ଼,(ଶୁଭାନିଲ୍): ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ସିନେମା ହଲ ଛକରେ ଦୁଇଟି ଏବଂ ରୋହିବାଙ୍କର ଗୋଟିଏ ବିଦେଶୀ ମଦ ଦୋକାନରୁ ସିରିଜ ଲୁଟ ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଓଡ଼ଗାଁ ଆଦର୍ଶ ଥାନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ୩୦ ସେପ୍ଟେମ୍ବର ମଧ୍ୟରାତି ଠାରୁ ୧ ଅକ୍ଟୋବର ଭୋର ସମୟ ମଧ୍ୟରେ ସମସ୍ତ ୩ ମଦ ଦୋକାନର ସଟର ଭାଙ୍ଗି ନଗଦ ଟଙ୍କା ସହିତ କେତେକ ମଦ ବୋତଲ ଚୋରି ହୋଇଥିଲା । ଏନେଇ ୧ ତାରିଖରେ ଓଡ଼ଗାଁ ଥାନରେ ୩ ଅଭିଯୋଗ ହୋଇଥିଲା । ପୁଲିସ ୩ ମାମଲା ରୁଜୁ କରିଥିବା ବେଳେ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ । ଥାନା ଅଧିକାରୀ ଅଭୟ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ପୁଲିସ ଘଟଣାର ମାଷ୍ଟର ମାଇଣ୍ଡ ଥିବା ଚିତ୍ରସେନ ଜେନା (୨୨) ଅରଖପୁର, ବାଲିପଦର ଓ ମୁଖ୍ୟ ସହଯୋଗୀ ବବୁଲୁ ଦଳେଇ (୨୧)ବୁରୁପଡା, ହିଞ୍ଜିଳିକାଟୁ ସମେତ ରଞ୍ଜନ ରାଉଳ (୨୬)କୋଦଳା, ଶଙ୍କର ମହାରଣା (୨୨) ଅରୁଣାପୁର, ରମ୍ଭା, ନାରାୟଣ ଜେନା (୨୭)ଅରଖପୁର, ବାଲିପଦର, ଶିଶିର ସ୍ୱାଇଁ (୨୭)ପୋଚରାମୁଣ୍ଡି, ବୁଗୁଡ଼ା ଓ କିସାନ ପାଣ୍ଡି (୨୩)କୋଦଳା ଗ୍ରାମର ବୋଲି ଜଣାପଡିଥିଲା । ସମସ୍ତ ୭ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲାର ରମ୍ଭା ଥାନା ଅନ୍ତର୍ଗତ କଣ୍ଟାପଡା ଗ୍ରାମର ଓଆରଡିପି କଲୋନୀରୁ ଗୁରୁବାର ରାତିରେ ଏକ ଘର ମଧ୍ୟରୁ ଗିରଫ କରିବାରେ ସଫଳ ହୋଇଥିଲେ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ କାର, ୪ ମୋଟର ସାଇକେଲ, ଲୁଟ ନଗଦ ୧ ଲକ୍ଷ ୬୨ ହଜାର ଟଙ୍କା, ୯ ସ୍ମାର୍ଟ ଫୋନ, ଏକ କଟୁରୀ ସହିତ ସଟର ତାଡିବାରେ ବ୍ୟବହୃତ ଏକ ଶାବଳ ଜବତ କରିଥିଲେ । ଏହି ଗ୍ୟାଙ୍ଗ ଗଞ୍ଜାମ, ପୁରୀ, ଭୁବନେଶ୍ୱର, କଟକ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ ଜିଲାରେ କ୍ରାଇମ ଓ ଲୁଟ କରୁଥିବା ସ୍ୱୀକାର କରିଛନ୍ତି । ଆରକ୍ଷୀ ଅଧିକ୍ଷକଙ୍କ ସହିତ ଡ଼ିଏସପି ସୁବାସ ଚନ୍ଦ୍ର ପଣ୍ଡା, ଶରଣକୁଳ ଏସ୍ଡ଼ିପିଓ ଦୀପ୍ତିକାନ୍ତ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସମ୍ପୁର୍ଣ୍ଣ ସୂଚନା ପ୍ରଦାନ କରିଥିଲେ ।
